ଡିପ୍ରେସନ

ଡିପ୍ରେସନ୍ କ’ଣ ?
ଆମେମାନେ ସମସ୍ତେ ଅନେକ ସମୟରେ କୌଣସି କଥାରେ ବ୍ୟସ୍ତ ହୋଇ ଦୁଃଖ ଅନୁଭବ କରୁ । ଅନେକ ସମୟରେ ଅଧିକ ଚିନ୍ତା କିମ୍ବା କୌଣସି ମୂଲ୍ୟବାନ୍ ପଦାର୍ଥ ହଜାଇ ବ୍ୟତିବ୍ୟସ୍ତ ହୋଇ ଦୁଃଖ ଅନୁଭବ କରୁ । ଆତ୍ମୀୟର ମୃତ୍ୟୁ ବା ବିଚ୍ଛେଦରେ କାନ୍ଦୁ । ଆତ୍ମୀୟ, ବନ୍ଧୁ ଓ ପରିବାର ଲୋକମାନଙ୍କ ସହ କୌଣସି ମତପାର୍ଥକ୍ୟ ବା ଭୁଲ ବୁଝାମଣା ହେଲେ ଦୁଃଖ ଅନୁଭବ କରୁ । ଯେକୌଣସି କଷ୍ଟକର ପରିସ୍ଥିତି ବା ନୈରାଶ୍ୟରେ ଆମେ ଭାଙ୍ଗିପଡ଼ୁ । ଫଳରେ ମାନସିକ ଉତ୍ତେଜନା ସୃଷ୍ଟି ହୁଏ ।
ହତୋତ୍ସାହ ହୋଇପଡ଼ିବାବେଳେ ଆମ କଥାବାର୍ତ୍ତା ଓ ବ୍ୟବହାରରେ ବହୁ ପରିବର୍ତ୍ତନ ଦେଖାଯାଏ । ଆଖିରୁ ଲୁହ ବୋହିଯାଏ । ଆମେ କାନ୍ଦୁ, ଆମେ କଥା କହିବାକୁ ଅକ୍ଷମ ହେଉ । ଭୋକ ହୁଏ ନାହିଁ ଓ ଖାଦ୍ୟର କୌଣସି ଭଲ ସ୍ୱାଦ ପାଉ ନାହୁଁ । ଠିକ୍ ଭାବିବା ଓ ଠିକ୍ ନିଷ୍ପତ୍ତି ନେବା ଶକ୍ତି କମିଯାଏ । କ’ଣ କରିବାକୁ ପଡ଼ିବ ଆମେ ବୁଝିପାରୁ ନାହୁଁ । ଆମେ ଆମର ପୋଷାକ ଓ ଚେହେରା ପ୍ରତି ଆଗ୍ରହ କମାଇଦେଉ । ଆମେ କାମ କରିବାକୁ ଭଲ ପାଉ ନାହୁଁ । ଏପରିକି କାମ କଲେ ମଧ୍ୟ ଏହା ଠିକ୍ ରୂପେ କରି ନ ପାରି ଭୁଲ୍ କରିପକାଉ ।
ଆମେ ଧୈର୍ଯ୍ୟ ହରାଉ ଓ ଚିଡ଼ିଚିଡ଼ି ହେଉ । ଆମକୁ ଭଲ ନିଦ ହୁଏ ନାହିଁ । ଅକ୍ଷୟ, ଅଳସୁଆ, ଆଗ୍ରହହୀନ ଓ ନୈରାଶ୍ୟ ପ୍ରଭୃତି ଆମକୁ ଗ୍ରାସ କରେ । ଆମକୁ ଅପଦାର୍ଥ କରି ଅନ୍ୟର ବୋଝ କରିଦିଏ । ସାଧାରଣତଃ ଏହି ଆବେଗ ବା ଉତ୍ତେଜନା ଖୁବ୍ କମ ସମୟ ପାଇଁ ରହେ । ଆମେ ନିଜକୁ ଖୁବ୍ କମ୍ ସମୟ ମଧ୍ୟରେ ସ୍ୱାଭାବିକ କରିଦେଉ । କ୍ଷତି ହୋଇଥିବା ବା ଦୁଃଖପୂର୍ଣ୍ଣ କଥାକୁ ଭୁଲିବାକୁ ଚେଷ୍ଟା କରୁ । କାନ୍ଦିବା ବନ୍ଦ କରି ଦେଉ । ଆମେ ଜାଣୁ ଯେ କାନ୍ଦିବାଦ୍ୱାରା କିଛି ହେବ ନାହିଁ । ତେଣୁ ପୁଣି ବିଚାରକ୍ଷମ ହୋଇଯାଉ । ଏହି ସମୟରେ ବନ୍ଧୁ ଓ ଆତ୍ମୀୟମାନଙ୍କର ଆଶ୍ୱାସନା, ସହାନୁଭୂତି ଓ ସାହାଯ୍ୟ ଶୀଘ୍ର ଠିକ୍ ବାଟକୁ ଆଣିବାରେ ସହାୟ ହୁଏ ।
ସମୟକ୍ରମେ ଧୀରେ ଧୀରେ ଅବସ୍ଥା ଭଲ ଆଡ଼କୁ ଗତି କରେ । ଯଦି କୌଣସି ବ୍ୟକ୍ତି ଦୁର୍ବଳମନା ହୋଇଥାଏ, ତା’ର ବହୁତ କ୍ଷତି ହୋଇଥାଏ, ଜଟିଳ ସମସ୍ୟାଗୁଡ଼ିକ ବାରମ୍ବାର ଦେଖାଦିଏ ଏବଂ ସେ ଯଦି ଠିକ୍ ସମୟରେ ଆତ୍ମୀୟସ୍ୱଜନ ଓ ବନ୍ଧୁମାନଙ୍କଠାରୁ ସାହାଯ୍ୟ ସହାନୁଭୂତି ନ ପାଏ ତାହା ହେଲେ ଏହା ତା’ ମନରେ ଦୃଢ଼ଭାବରେ ସ୍ଥାୟୀ ହୋଇ ରହିଯାଏ । ସେହି ଲୋକଟି କଷ୍ଟ ପାଏ ଓ ନିଃସହାୟ ବୋଧକରେ ।
ହତୋତ୍ସାହ ବା ବିଷାଦ ଏକ ସାର୍ବଜନୀନ ବିଷୟ । ଏହା ଯେକୌଣସି ବୟସର ଲୋକମାନଙ୍କଠାରେ ଦେଖାଯାଏ । ଯେଉଁ ପିଲାମାନେ କଥା କହି ନ ଥାଆନ୍ତି ସେମାନେ କାନ୍ଦନ୍ତି, ମାନ୍ଦା ହୋଇ ଖାଇବାକୁ ଆଗ୍ରହ ଦେଖାନ୍ତି ନାହିଁ ବା ଅସ୍ୱାଭାବିକ ବ୍ୟବହାର ଦେଖାଇ ତାଙ୍କର ଦୁଃଖ ପରିପ୍ରକାଶ କରିଥାଆନ୍ତି । ବୟସ୍କମାନେ ବିଭିନ୍ନ ପ୍ରକାର ଉପାୟରେ ଏହା ପ୍ରକାଶ କରିଥାଆନ୍ତି । କେତେକ କଥାରେ ଓ ବଡ଼ ପାଟିରେ କାନ୍ଦି, କେତେକ ଚୁପ୍ ରହି ଏହା ପ୍ରକାଶ କରିଥାଆନ୍ତି ।
ଦୁଃଖର ପ୍ରକାଶ ପ୍ରଣାଳୀ ଗୋଟିଏ ଦେଶଠାରୁ ଅନ୍ୟ ଦେଶ ଓ ଗୋଟିଏ ସଂସ୍କୃତିଠାରୁ ଅନ୍ୟ ସଂସ୍କୃତିରେ ପ୍ରଭେଦ ଦେଖାଯାଏ । କେତେକ ସଂସ୍କୃତିରେ ପୁରୁଷମାନେ କାନ୍ଦିବାର ଦେଖାଯାଏ ନାହିଁ; ତେଣୁ ସେମାନେ ଅନ୍ୟ ଉପାୟରେ ଏହା ପ୍ରକାଶ କରନ୍ତି । ବିଭିନ୍ନ ପ୍ରକାର ସମାଜରେ ଦୁଃଖ ପ୍ରକାଶ କରିବାର ପ୍ରଥା ବିଭିନ୍ନ ପ୍ରକାର ଅଛି । ଏକପ୍ରକାର ସମାଜରେ ଲୋକମାନେ ଲୁହ ଗଡ଼ାନ୍ତି, ଦୁଃଖପୂର୍ଣ୍ଣ ଗୀତ ଗାଆନ୍ତି ଏବଂ ତାଙ୍କ ଛାତିକୁ ହାତରେ ପ୍ରହାର କରନ୍ତି । ଅନ୍ୟ ଏକପ୍ରକାର ସମାଜରେ ଲୋକମାନେ କଳା ପୋଷାକ ପିନ୍ଧି ଦୁଃଖରେ ଚୁପ୍ଚାପ୍ ରହନ୍ତି ।
ବିଷାଦର ପରିମାଣ ଦୁଃଖର କାରଣ ଉପରେ ନିର୍ଭର କରେ । ଯଦି ସମସ୍ୟାଗୁଡ଼ିକ ଅଳ୍ପ ହୋଇଥାଏ, ତା’ହେଲେ ବିଷାଦ ଅଳ୍ପ ହୁଏ ଓ ଖୁବ୍ ଶୀଘ୍ର ଚାଲିଯାଏ । କିନ୍ତୁ ଯଦି ଏହା ଅଧିକ ଭୟଙ୍କର ବା ଆଶାତୀତ ହୋଇଥାଏ, ତା’ହେଲେ ବିଷାଦ ମଧ୍ୟ ଅଧିକ ହୁଏ, ତାହା ବହୁଦିନ ପର୍ଯ୍ୟନ୍ତ ରହେ ।